You are here
Home > New Year Status > ଆଜି ସୁଦ୍ଧା ରାଜ୍ୟରେ ୧୩% ଅଧିକ ବର୍ଷା

ଆଜି ସୁଦ୍ଧା ରାଜ୍ୟରେ ୧୩% ଅଧିକ ବର୍ଷା


କନକ ବ୍ୟୁରୋ : ରାଜ୍ୟରେ ମୌସୁମୀ ଠିକ୍‌ ସମୟରେ ପ୍ରବେଶ କରିଥିଲା। ଏଥିସହ ରାଜ୍ୟରେ ଭଲ ବର୍ଷା ମଧ୍ୟ ହୋଇଯାଇଛି। ଜୁନ୍‌ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୩ ପ୍ରତିଶତ ଅତିରିକ୍ତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉପକୂଳର ୫ଟି ଜିଲ୍ଲାକୁ ଛାଡ଼ି ଦେଲେ, ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। କିଛି କିଛି ସ୍ଥାନରେ ଅତ୍ୟଧିକ ବର୍ଷା ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଚଳିତବର୍ଷ ରାଜ୍ୟରେ ଭଲ ବର୍ଷା ହେବା ସହ ଚ‌ାଷ ପାଇଁ ଅନୁକୂଳ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଗକୁ ପଢନ୍ତୁ

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସ କହିଛନ୍ତି, ୧ ଜୁନ୍‌ରୁ ୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୧୨.୨ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ୨୭୫.୭ମିମି ବର୍ଷା ହେବା କଥା। ଚଳିତବର୍ଷ ଏହି ସମୟ ମଧ୍ୟରେ ସ୍ୱାଭାବିକଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ଟି ଜିଲ୍ଲାରେ ଅଧିକ କିମ୍ବା ସାଧାରଣ ବର୍ଷା ହୋଇଛି। ସେଥିମଧ୍ୟରୁ ମାଲକାନଗିରିରେ ସବୁଠାରୁ ଅଧିକ ଅର୍ଥାତ ୭୧% ଅତିରିକ୍ତ ବର୍ଷା ହୋଇଛି। ବାକି ୨୪ ମଧ୍ୟରୁ ୧୦ଜିଲ୍ଲାରେ ଅତ୍ୟଧିକ ବର୍ଷା, ୧୪ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅଧିକ କିମ୍ବା ସ୍ୱାଭାବିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ। ଜୁନ୍‌ରେ ବି ଏହି ୫ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗତ ଦୁଇ ଦିନର ବର୍ଷାରେ ବି ଅଭାବୀ ବର୍ଷା ହୋଇଥିବା ‌ରେକର୍ଡ କରାଯାଇଛି। ବାକି ସମସ୍ତ ଉପକୂଳ ଜିଲ୍ଲାରେ ବର୍ଷା ସାଧାରଣ ବା ପ୍ରବଳ ହୋଇଛି।

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ-ପୂର୍ବ ଝାରଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହି ଲଗୁଚାପ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୮ ତାରିଖ ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ସେ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ। ୯ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୧୦ ତାରିଖ ଦିନ କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |





Source link

Leave a Reply

Top
Bitnami